logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଅନ୍ଧୁଣି(ଳି)
ମାଛ ଧରିବା ପାଇଁ ବ୍ୟବହୃତ ବାଉଁଶ କାଠି ବା ନଡ଼ିଆ ଖଡିକାରେ ପ୍ରସ୍ତୁତ ଦେଶୀ ମାଛଧରା ଯନ୍ତ୍ର l ଏହା ଗୋଟାଏ ଛୋଟ ବାକ୍ସ ଆକୃତିର l ହିଡରେ ପାଣି ଯାତାୟାତ କରୁଥିବା ସ୍ଥାନରେ ଏହାକୁ ବସାଯାଏ l ଏହା ଭିତରକୁ ଥିବା ଛୋଟ ବାଟଦେଇ ମାଛ ପଶିଲେ ତହିଁରୁ ବାହାରିବା ସମ୍ଭବ ହୁଏ ନାହିଁ l ଏହାଦ୍ଵାରା ମାଛ ଭିତରେ ରହେ ଓ ଅନ୍ଧୁଳି ବସାଇଥିବା ଲୋକ ଏହାକୁ ଉପରକୁ ଆଣି, ଏହା ଭିତରୁ ମାଛ ବାହାର କରନ୍ତି l

ଅନ୍ନଛତ୍ର
ବଢ଼ି, ମରୁଡ଼ି ପ୍ରଭୃତି ଦୁର୍ବିପାକ ସମୟରେ ଆଶ୍ରିତ, ଅସହାୟ ଓ ବୁଭୁକ୍ଷୁମାନଙ୍କୁ ଦୟାଳୁ ଲୋକେ ରନ୍ଧା ଖାଦ୍ୟ ଦାନ କରନ୍ତି l ଗୋଟାଏ କୋଠ ଜାଗାରେ ବହୁଲୋକଙ୍କ ପାଇଁ ରୋଷେଇ ହୁଏ ଏବଂ ଭୋକିଲା ଲୋକଙ୍କୁ ଏଠି ରନ୍ଧାଖାଦ୍ୟ ବଣ୍ଟାଯାଏ l

ଅନ୍ନ
ଭାତ l ଜଗନ୍ନାଥଙ୍କ ଅବଢ଼ା,ଅଭଡା l ପ୍ରଭୁଙ୍କୁ ଘିଅ‌ଅନ୍ନ, କାନିକା, ଓରିଆ, ପୀତ‌ଅନ୍ନ, ରସାବଳୀ ଅନ୍ନ, ଏକବର୍ଣ୍ଣି ଇତ୍ୟାଦି ବିବିଧ ଧରଣର ଅନ୍ନ ନୈବେଦ୍ୟ କରାଯାଏ l

ଅନ୍ନଦାନ
ବ‌ଇତ୍ରିଣୀ ବା ଶୁଦ୍ଧଘର କର୍ମରେ ଦାନ ଦିଆ ଯାଉଥିବା ଅନ୍ନ l ଦଶଦାନ ଭିତରେ ଅନ୍ନଦାନ ବା ଭୋଜନଦାନ ଅନ୍ୟତମ ବିଶେଷ ଦାନ l

ଅନ୍ନପ୍ରାଶନ
ପିଲାର ପ୍ରଥମ ଖିରିଚଟା ଉତ୍ସବ l ନୂଆ ଥାଳିଆରେ, ଅରୁଆ ଚାଉଳର ଖିରିକରି ପିଲାକୁ ଖୋ‌ଇ ଦିଆଯାଏ lଏହା ହେଉଛି ଶିଶୁର ପ୍ରଥମ ଅନ୍ନ ଆହାର କରିବାର ସଂସ୍କାର l ଏହା ଖିରିଖିଆ ରୂପେ ପରିଚିତ l

ଅପରା ଏକାଦଶୀ
ଜ୍ୟେଷ୍ଠମାସ କୃଷ୍ଣପକ୍ଷର ଏଇ ଏକାଦଶୀ ଜଳକ୍ରୀଡ଼ା ଏକାଦଶୀ ଭାବରେ ଖ୍ୟାତ l ଏଇଦିନ ଶ୍ରୀମନ୍ଦିର ବେଢ଼ାରେ ଜଳକ୍ରୀଡ଼ା ମଣ୍ଡପରେ ମଦନମୋହନଙ୍କ ଜଳଲାଗି ଉତ୍ସବ ପାଳିତ ହୁଏ l ଏଇ ଏକାଦଶୀ ପାଳନ ଦ୍ଵାରା ଯାବତୀୟ ପାପ ଖଣ୍ଡିତ ହୋ‌ଇଥାଏ l

ଅପର୍ତ୍ତିଆଣି
ପ୍ରଥମ କେତୋଟି ସନ୍ତାନ ମରିଯିବା ପରେ ପରବର୍ତ୍ତୀ ସନ୍ତାନ ମଧ୍ୟ ମରିଯିବ ବୋଲି ଆଶଙ୍କା ଥାଏ l ମାତ୍ର ଯେଉଁ ସନ୍ତାନଟି କୌଣସି ପ୍ରକାରେ ବଂଚି ରହେ, ତାକୁ ଅପର୍ତ୍ତିଆଣି କୁହାଯାଏ l ଏପରି ସନ୍ତାନ ପ୍ରତି ଅଧିକ ସ୍ନେହ ଥାଏ l ଯମ ହାବୁଡ଼ରୁ ଏହାକୁ ବଂଚାଇବା ନିମିତ୍ତ କେହି କେହି ଏହାକୁ କୌଣସି ଦେବ ଦେବୀଙ୍କୁ ବିକ୍ରି କରି ଦେଇଥାନ୍ତି l କେହି କେହି ଏହାର ଶରୀରରେ ମଧ୍ୟ କ୍ଷତ ସୃଷ୍ଟି କରନ୍ତି l ଚଡୁଦାଗ ଏବଂ କାନଫୋଡ଼ା ଇତ୍ୟାଦି ଏହାର ଦୃଷ୍ଟାନ୍ତ l

ଅପର୍ତ୍ତିବାହା
ଆଦିବାସୀ ସମାଜରେ ଅନୁଷ୍ଠିତ ଏକ ପ୍ରକାର ବିବାହ l ଏଥିରେ କନ୍ୟାକୁ ବର ଜୋର୍‌ ଜବରଦସ୍ତି ଉଠାଇ ଆଣେ l

ଅପାଳକ
ଚାଷ ପାଇଁ ନଥିବା ଉପଯୁକ୍ତ ପାଣିପାଗ l ବର୍ଷା ଅଭାବରୁ ଶସ୍ୟହାନି l ଉପଯୁକ୍ତ ପରିମାଣଠାରୁ ଅଧିକବର୍ଷା ହେଲେ ଧୋ‌ଇ ଏବଂ ଅଳ୍ପବର୍ଷା ହେଲେ ମରୁଡ଼ି ହୁଏ l ଏହାକୁ ଅପାଳକ କୁହାଯାଏ l

ଅଫିମ
ନିଶାଦ୍ରବ୍ୟ l ଅଫିମଗଛର ଫଳ ବା ବକଡ଼ାରୁ ଏହା ବାହାରିଥାଏ l


logo