logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଆକାମାବୈ
ଆଷାଢ଼, କାର୍ତ୍ତିକ, ମାଘ, ବୈଶାଖ - ଏଇ ଚାରିମାସର ପ୍ରଥମ ଅକ୍ଷର l ଏଇ ଚାରିମାସ ବର୍ଷର ପୁଣ୍ୟମାସ l ଆମର କାର୍ତ୍ତିକ ପୂର୍ଣ୍ଣମୀର ଡଙ୍ଗାଭସା ସମୟରେ ଏଇ କଥା କୁହାଯାଏ l ମୁଖ୍ୟଃତ ଏଇ ଚାରି ମାସରେ ଚକୁଳିଆ ପଣ୍ଡାମାନେ ଗାଁ ଗାଁ ବୁଲି ଭିକ୍ଷା କରନ୍ତି ଓ ଏଇ ଚାରି ମାସରେ ପୁଣ୍ୟପ୍ରାପ୍ତି ନିମିତ୍ତ ଦାନ ଧ୍ୟାନାଦି କରାଯାଏ l

ଆକାଶଦୀପ
କାର୍ତ୍ତିକ ମାସରେ ଶୁକ୍ଳପକ୍ଷ ଦଶମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚ‌ଉରାମୂଳେ ପୋତାଯାଉଥିବା ବାଉଁଶ ଉପରକୁ ଉଠାଯାଉଥିବା ଘିଅଦୀପ l ଗୋଟିଏ ଛିଦ୍ରଥିବା ମାଟିହାଣ୍ଡିରେ ତଳେ ବାଲି ଓ ଗୋବର ରଖାଯାଇ ଏହା ଉପରେ ଦୀପ ରଖାଯାଏ l ଏହାକୁ ଏକ ଶିକାରେ ରଖି, ବାଉଁଶ ଅଗରେ ଥିବା ଶଗଡ଼ିରେ ଦ‌ଉଡ଼ା ଲଗାଯାଇ ଏଇ ଦୀପ ଉପରକୁ ଉଠାଯାଏ l ସଂପୃକ୍ତ ହାଣ୍ଡି ଆକାଶହାଣ୍ଡି, ବାଉଁଶ ଆକାଶବାଉଁଶ ରୂପେ ପରିଚିତ l ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଏଭଳି ଦୀପଦାନ ବିଧି ରହିଛି l

ଆକତା
ଅଣନିଶ୍ଵାସୀ ହେବା l

ଆକାଶବାଉଁଶ
୧. କାର୍ତ୍ତିକ ମାସରେ ଆକାଶଦୀପ ଦେବାପାଇଁ ଚ‌ଉରା ମୂଳରେ ପୋତା ଯାଉଥିବା ଉଚ୍ଚବାଉଁଶ l ୨. ବାଉଁଶରାଣୀ ଖେଳରେ ଖେଳ ଦେଖାଇବା ପାଇଁ ପୋତାଯାଇଥିବା ବାଉଁଶ l

ଆକାଶମଲ୍ଲୀ
ଏକ ପ୍ରକାରର ବାଣ, ଯାହା ଅତି ଉପରକୁ ଉଠେ ଓ ଉଜ୍ଜ୍ଵଳ ଆଲୋକ ପ୍ରଦାନ କରେ l

ଆଖଡ଼ା
ଆଖେଡ଼ା l ମଲ୍ଲଶାଳା, ସଭା, ଦରବାର, ରଙ୍ଗଶାଳା, ରଙ୍ଗଭୂମି, ନୃତ୍ୟଶାଳା l ଆଖଡା ପିଲାକୁ ଗୋଟିପୁଅ କୁହାଯାଏ l ଆଖଡ଼ା ଏକ ପାରମ୍ପରିକ ପ୍ରତିଷ୍ଠାନ, ଏହା ଅଧୀନରେ କେତୋଟି ଜାଗାଘର ଥାଏ l ଆଖଡ଼ାରେ କୁସ୍ତି, କସରତ, ନାଟ ତାମସା ଇତ୍ୟାଦି ପ୍ରଶିକ୍ଷଣ କରାଯାଏ l

ଆଖଡ଼ାଗୁରୁ
ଆଖଡ଼ାଶିକ୍ଷକ, ନୃତ୍ୟଗୁରୁ, ଓସ୍ତାଦ୍‌, ନିର୍ଦ୍ଦେଶକ l

ଆଖଡ଼ାଘର
ନାଚ, ଗୀତ, ବାଦ୍ୟ, ବ୍ୟାୟାମ ଇତ୍ୟାଦିର ଶିକ୍ଷାକେନ୍ଦ୍ର l

ଆଖିଡ଼ି
ଡଙ୍ଗା ଯାତ୍ରୀଙ୍କ ଗୋଡ଼ରେ ପାଣି ନଲାଗିଵା ପାଇଁ ଡ଼ଙ୍ଗାର ତଳେ ପଡିଥିବା ତଲେଇ l

ଆଗ ପତରିଆ
୧. ପଂକ୍ତି ଭୋଜନ ବେଳେ ପ୍ରଥମେ ପଡ଼ିଥିବା ପତ୍ରରେ ଖାଦ୍ୟ ପରିବେଷଣ l ୨. ସମାଜର ମୁଖ୍ୟବ୍ୟକ୍ତି l


logo