logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଅଁଳାନବମୀ
କାର୍ତ୍ତିକ ମାସର ଶୁକ୍ଳ ପକ୍ଷ ନବମୀ, ଯାହା ଧାତ୍ରୀ ନବମୀ ଭାବରେ ପରିଚିତ l ଏଇଦିନ ଅଁଳା ଗଛ ମୂଳରେ ବିଷ୍ଣୁଙ୍କ ଉପାସନା କରାଯାଏ l ବିଧବା ଓ ହବିଷ୍ୟାଳୀମାନେ ଏଇଦିନଠାରୁ କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅଁଳା ବୋଳି ହୋ‌ଇ ସ୍ନାନ କରନ୍ତି l ପ୍ରଭୁ ଜଗନ୍ନାଥଙ୍କଠାରେ ଅଁଳାମାଳ ଲାଗି କରାଯାଏ l ଏଇଦିନ ହବିଷ୍ୟାଳୀମାନେ ଅଁଳାଗଛମୂଳେ ହବିଷ୍ୟାନ୍ନ ପ୍ରସ୍ତୁତ କରନ୍ତି ଓ ଦମୋଦର ରୂପୀ ବିଷ୍ଣୁଙ୍କୁ ସମର୍ପଣ କରିବା ପରେ ହବିଷ୍ୟାନ୍ନ ଭକ୍ଷଣ କରନ୍ତି l ପୁରୀର ସାକ୍ଷୀଗୋପାଳଠାରେ ଅଁଳାନବମୀ ଦିନ ରାଧାପାଦ ଦର୍ଶନ ଭଳି ମହୋତ୍ସବ ପାଳିତ ହୁଏ l

ଅଂଶା
ତାଳ, ନଡ଼ିଆ, ଗୁଆଦି ଗଛଗଣ୍ଡିରେ ଥିବା ସୂକ୍ଷ୍ମତନ୍ତୁ, ବିଭିନ୍ନ କାଠଗଛର ମଞ୍ଜି l

ଅଂଶେଇ
ପଚା, ସଢ଼ା ଓ ମ‌ଇଳା ଜିନିଷ ଓ ଗୋବର ଉପରେ ଜନ୍ମୁଥିବା ଛୋଟ ଛୋଟ ଧଳାପୋକ l

ଆଇଖାଡ଼ି
ଦହି ମନ୍ଥିବା ପାଇଁ ବ୍ୟବହୃତ ବାଡ଼ି l ଦହିଖୁଆ, ଦହିଗୋଳା l ତଳଭାଗରେ ଧାରଥିବା କାଠ ଚକି ଉପରେ ଗୋଟିଏ ଗୋଲାକାର କାଠଦଣ୍ଡ ଲାଗିଥାଏ l ଏହାକୁ ଘୂରାଇଲେ ଦହି ମନ୍ଥାଯାଏ l ସ୍ଥଳ ବିଶେଷରେ ମୁଠାଏ ନଡ଼ିଆ ଖଡ଼ିକାକୁ ସରୁକାଠିଦ୍ଵାରା ଚାରିଭାଗ କରାଯାଇଥାଏ l ଉପର ଅଂଶକୁ ସରୁ କତା ରସିରେ ଭଲ ଭାବରେ ବନ୍ଧାଯାଇଥାଏ l ଏହାକୁ ଘୂରାଇଲେ ଦହି ମନ୍ଥାଯାଏ l ଏହାକୁ ସ୍ଥଳ ବିଶେଷରେ ରହଡ଼ାଙ୍ଗ କୁହାଯାଏ l

ଆଇଗିଣିଆ
ଆମିଷ ପରି ସୁଆଦ ଥିବା ଖାଦ୍ୟ, ଆଇଁଷ ପରି ଗନ୍ଧ ହେଉଥିବା ପଦାର୍ଥ l

ଆଇଁଷ
ଆମିଷ l ମାଛ, ମାଂସ, ଅଣ୍ଡା ପ୍ରଭୃତି ସହିତ ବିରି, ପିଆଜ, ରସୁଣକୁ ମଧ୍ୟ ପୂଜାପାର୍ବଣ ସମୟରେ ନିଷିଦ୍ଧ କରାଯାଉଥିବା ଖାଦ୍ୟପଦାର୍ଥ l

ଆଇଁଷଧୁଆ
ମାଛ, ଶୁଖୁଆଦି ଧୋ‌ଇବା ପାଇଁ ବ୍ୟବହୃତ ବାଉଁଶ ପାତିଆ ତିଆରି ପାଚିଆ l

ଆଈ
ବୋ‌ଉଙ୍କର ବୋ‌ଉ l ମାଆଙ୍କ ମାଆ l

ଆଡ଼ି
ପାଞ୍ଚ ଛ‌ଅଟି ପାନ 'ଗଛ'ର ଧାଡ଼ି ଅନ୍ତରରେ ରଖାଯାଇଥିବା ପତଳା ବାଉଁଶର ଛକି l ଏଇ ବାଉଁଶ ଗୁଡ଼ିକ ତଳେ ପୋତାଯାଇଥାଏ ଓ ଏହାର ଉପର ଅଂଶରେ ବରଜର ଛାତ କରାଯାଏ l

ଆଉଁରିଆ ଘାସ
ଏକ ପ୍ରକାରର ରଗଡ଼ା ଘାସ l ଏହାକୁ ମାଡ଼ିଲେ ଲୋକେ ଚଲାବାଟ ଭୁଲିଯାଆନ୍ତି ବୋଲି ଲୋକ ବିଶ୍ଵାସ ରହିଛି l


logo