logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଅଶୌଚ
୧. ଅଶୁଦ୍ଧି l ୨. ମଳମୂତ୍ରାଦି ତ୍ୟାଗ ପରର ଅଶୁଚିତା l ୩. ନାରୀ ରଜସ୍ଵଳା ହେବା ପରେ ପ୍ରଥମ ତିନିଦିନର ଅଶୁଦ୍ଧତା l ୪. ଜନ୍ମ, ମରଣର ଦଶ ଦିନ ପର୍ଯ୍ୟନ୍ତ ପାଳିତ ଅଶୁଦ୍ଧ ଆଚାର l

ଅଷ୍ଟପ୍ରହରୀ
ଆଠ ପ୍ରହର ବ୍ୟାପି ନାମଯଜ୍ଞ l ଦିନରାତି ଆଠ ପ୍ରହର ଯାଏ ହରିନାମ ସଂକୀର୍ତ୍ତନ କରାଯାଏ l ବୈଷ୍ଣବ ସଂପ୍ରଦାୟ ଏହାକୁ ବିଶେଷ ଗୁରୁତ୍ଵର ସହିତ ସଂପାଦନ କରନ୍ତି l ଗୋଟିଏ କୁଞ୍ଜ ପ୍ରସ୍ତୁତ କରି ଏହାର ମଧ୍ୟବର୍ତ୍ତୀ ସ୍ଥାନରେ ଅଭଡ଼ା କୁଡୁଆରେ ତୁଳସୀ ଗଛ ରଖାଯାଏ ଓ ଏହା ସହିତ ଶ୍ରୀ ଚୈତନ୍ୟ ପ୍ରଭୃତି ଷଡ ଗୋସ୍ଵାମୀଙ୍କ ଫଟୋ ରଖାଯାଏ l ଏଇ କୁଞ୍ଜକୁ ସଂକୀର୍ତ୍ତନ ମଣ୍ଡଳୀ ପ୍ରଦକ୍ଷିଣ କରନ୍ତି l ପ୍ରତିଟି ପ୍ରହରରେ ସ୍ଵତନ୍ତ୍ର ଭୋଗ କରାଯାଏ l ଶେଷରେ ମହୋତ୍ସବ ଓ ନଗରକୀର୍ତ୍ତନ କରାଯାଏ l

ଅଷ୍ଟମଙ୍ଗଳା
ବାହାଘର ବା ବ୍ରତଘରର ଅଷ୍ଟମ ଦିନ l ବାହା, ବ୍ରତବେଦି ଏହାପରେ ଭଙ୍ଗାଯାଏ l ବିବିଧ ମିଷ୍ଟାନ୍ନ ବଣ୍ଟନ କରାଯାଏ ଓ ଖିଆଯାଏ l

ଅଷ୍ଟମୀ
ପୂର୍ଣ୍ଣମୀ ବା ଅମାବାସ୍ୟା ର ପରବର୍ତ୍ତୀ ଅଷ୍ଟମୀ ତିଥି l ମହାଷ୍ଟମୀ, ପ୍ରଥମାଷ୍ଟମୀ, ଜନ୍ମାଷ୍ଟମୀ, ଅଶୋକାଷ୍ଟମୀ ଇତ୍ୟାଦି ତିଥିଗୁଡ଼ିକ ବିଶେଷ ଭାବରେ ପାଳନୀୟ ହୋ‌ଇଥାଏ l ଆଶ୍ଵିନ ମାସରେ ମହାଷ୍ଟମୀ ପଡ଼େ, ଏହିଦିନ ଦେବୀ ଦୁର୍ଗାଙ୍କର ସ୍ଵତନ୍ତ୍ର ପୂଜା ବିଧାନ କରାଯାଏ l ମାର୍ଗଶିର ମାସରେ ପ୍ରଥମାଷ୍ଟମୀ ପଡ଼େ, ଏହାକୁ ପୋଢ଼ୁଆଁ ଅଷ୍ଟମୀ କୁହାଯାଏ l ପରିବାରର ଜ୍ୟେଷ୍ଠ ସନ୍ତାନ ନବବସ୍ତ୍ର ପରିଧାନ କରନ୍ତି, ଏଣ୍ଡୁରି ପିଠା କରାଯାଏ l ଭାଦ୍ରବ ମାସରେ ଜନ୍ମାଷ୍ଟମୀ ତିଥିରେ କୃଷ୍ଣଙ୍କର ଜନ୍ମୋତ୍ସବ ପାଳନ କରାଯାଏ l ଚୈତ୍ର ମାସରେ ଅଶୋକାଷ୍ଟମୀ ପାଳିତ ହୁଏ ଏବଂ ଏହିଦିନ ଲିଙ୍ଗରାଜ ମହାପ୍ରଭୁଙ୍କର ରୁକୁଣାରଥ ଯାତ୍ରା ଅନୁଷ୍ଠିତ ହୋ‌ଇଥାଏ l

ଅସରଳା ସୂତା
ଅଷାଡୁଆ ସୂତା l ବାହାଘର ସମୟରେ ଦୂବକେରା ବନ୍ଧା ହୋ‌ଇଥିବା ହଳଦିମଖା ସୂତା, ଯାହା ବର ଓ କନ୍ୟାଙ୍କ ହାତରେ କହୁଣୀ ତଳକୁ ବନ୍ଧାଯାଏ l

ଅହ୍ୟମଣ୍ଡଳ
ମଂଗଳ କାର୍ଯ୍ୟରେ ସଧବା ନାରୀମାନଙ୍କ ଦ୍ଵାରା ଦିଆଯାଇଥିବା ଚିତା ବା ମୁରୁଜର ମଣ୍ଡଳ l

ଅହ୍ୟଡେଙ୍ଗୁରା
ସଧବା ନାରୀ, ସ୍ଵାମୀ ଥାଇ ଆଗେ ମଲେ, ଶବ ସଂସ୍କାର ସମୟରେ ଖ‌ଇ କ‌ଉଡ଼ି ବିଂଚାଯାଏ ଓ ନାଗରା ବାଜେ, ଅହ୍ୟନାରୀର ଏଇ ଶବଯାତ୍ରାକୁ ଅହ୍ୟ ଡେଙ୍ଗୁରା ବା ଅହ୍ୟ ନାଗରା କୁହାଯାଏ l

ଅହ୍ୟା/ଅହିଆ
ଅସ୍ଥାୟୀ ଚୁଲି l ବିବାହ, ବ୍ରତାଦି ଉତ୍ସବ ନିମିତ୍ତ ନିମନ୍ତ୍ରିତ ଅତିଥିମାନଙ୍କୁ ପ୍ରଦାନ କରାଯାଉଥିବା ବ୍ୟାପକ ଭୋଜନ ସାମଗ୍ରୀ ପ୍ରସ୍ତୁତି ପାଇଁ ଅହ୍ୟା ପ୍ରସ୍ତୁତ କରାଯାଏ l ଏହା ସାଧାରଣ ଚୁଲିଠାରୁ ଆକାରରେ ବଡ଼ ଏବଂ ବଡ଼ ବଡ଼ ରନ୍ଧନ ପାତ୍ର ଏହା ଉପରେ ବସାଯାଏ l

ଅକ୍ଷତ
ଖୁଣ ଖରାପ ନଥିବା ଅରୁଆ ଚାଉଳ, ଆଶୀର୍ବାଦ ଚାଉଳ, ଯେ କୌଣସି ମାଙ୍ଗଳିକ କର୍ମରେ ପ୍ରଥମେ ଦୂବ ବରକୋଳି ପତ୍ର,ଫୁଲ, ଚନ୍ଦନ ସହିତ ଅକ୍ଷତ ବା ଅରୁଆଚାଉଳ ଆବଶ୍ୟକ ହୋ‌ଇଥାଏ l

ଅଁଟୁଆ
ଧାନ କ୍ଷେତରୁ ପାଣି ନିଗାଡ଼ିବା ପରେ ଖାଲୁଆ ଜାଗା ଗୁଡ଼ିକରେ ରହିଯାଉଥିବା ପାଣି l ଏହାକୁ ଚୁବଚୁବା ବୋଲି ମଧ୍ୟ କୁହାଯାଏ l


logo