logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଅରଘଟ
କୂଅରୁ ପାଣି କାଢ଼ିବା ପାଇଁ ବ୍ୟବହୃତ ଚକି l ଏହା ଉପରେ କୂଅ ଦ‌ଉଡ଼ି ଦେଇ ଘଟ, ଗରା ପ୍ରଭୃତି କୂଅକୁ ଛଡ଼ାଯାଏ ଓ ପାଣିଭର୍ତ୍ତି ହେଲେ, ଦ‌ଉଡ଼ା ଟାଣିଲେ ଏଇ ଚକି ସାହାଯ୍ୟରେ ପାଣିପାତ୍ର ସହଜରେ ଉପରକୁ ଉଠାଯାଇପାରେ l

ଅରଟ
ଚରଖା, ସୂତା କାଟିବା ପାଇଁ ବ୍ୟବହୃତ ଚକ୍ରଯୁକ୍ତ କାଠ ତିଆରି ଯନ୍ତ୍ର l ଏହା ସାହାଯ୍ୟରେ ତୂଳରୁ ସୂତା ପ୍ରସ୍ତୁତ କରାଯାଏ l

ଅରଣି
ନିଆଁ ବାହାର କରିବାର ନିମିତ୍ତ ବ୍ୟବହୃତ ଦୁଇ ପଥର ବା କାଠଖଣ୍ଡ, ଝକମକି ପଥର, ଦୁଇ ଖଣ୍ଡ କାଠରେ ତିଆରି ନିଆଁ ବାହାର କରିବା ଯନ୍ତ୍ର l ଏହାର ତଳ କାଠ ଅଧରାୟଣି ଏବଂ ଉପରକାଠ ଉତ୍ତରାୟଣି ରୂପେ ପରିଚିତ l ଅଶ୍ଵସ୍ତ ଓ ଶମୀ ଇତ୍ୟାଦି କାଠରେ ଏହା ତିଆରି ହୁଏ l ତଳ କାଠରେ ଥିବା ରନ୍ଧ୍ରରେ ବାଡ଼ି ଭଳି ଥିବା ଲମ୍ବ କାଠକୁ ପୂରାଇ ବାରମ୍ବାର ଘୂରାଇଲେ, ଏହାର ଘର୍ଷଣରୁ ଅଗ୍ନି ବାହାରେ ଓ ଶୁଖିଲା କୁଶ, ତୁଳା ଇତ୍ୟାଦି ସାହାଯ୍ୟରେ ଏଇ ନିଆଁକୁ ସଂଗ୍ରହ କରାଯାଏ l ଆଗରୁ ଏଇ ଉପାୟରେ ନିଆଁ ସଂଗ୍ରହ କରାଯାଇ ହୋମ, ଯଜ୍ଞାଦିରେ ବ୍ୟବହାର କରାଯାଉଥିଲା l

ଅରସା
ଗୋଟାଏ ପ୍ରକାରର ବାଦ୍ୟ ବାଦନ କ୍ରିୟା, ବିବିଧ ଆବର୍ତ୍ତନ ଦେଇ ପୁଣି ମୂଳ ତାଳ ବା ଲୟକୁ ଫେରି ଆସିବାର ପ୍ରକ୍ରିୟାକୁ ଅରସା କୁହାଯାଏ l

ଅରୁଆ
ଉଆ l ଧାନକୁ ଉଷୁଆଁ ନଯାଇ ଯେଉଁ ଚାଉଳ କରାଯାଏ ତାହା ଅରୁଆ ଚାଉଳ l ଏଇ ଚାଉଳରେ ଖିରି,ପିଠା, ଖେଚୁଡ଼ି, ଖ‌ଇ ଇତ୍ୟାଦି ବିଭିନ୍ନ ଭୋଗ ସାମଗ୍ରୀ ପ୍ରସ୍ତୁତ କରାଯାଏ l

ଅଳତାସିନ୍ଦୁର
ବାହାଘର ବେଳେ କୁକର୍ମ ବେଦିରେ ବରକୁ ବସାଇ ବର ଗୋଡ଼ରେ ଅଳତା, ମଥାରେ ସିନ୍ଦୂର, ଆଖିରେ କଜ୍ଵଳ ଇତ୍ୟାଦି ଲଗାଇ ବରକୁ ବେଶ କରି ବନ୍ଦାପନା କରାଯିବାର ନାରୀ ଆଚାର ବିଶେଷ l

ଅଲଙ୍ଗ
ଦୁଇ ଧାଡ଼ିଆ ଚାଳ ଛପର ଘରର ମଝି ଖଞ୍ଜା l ସ୍ଥଳ ବିଶେଷରେ ଦୁଇ ଖଞ୍ଜା ମଧ୍ୟବର୍ତ୍ତୀ ବାରଣ୍ଡା l

ଅଲଗୁଣି
ଅଲୁଗୁଣି l ଶୁଖିଲା ଲୁଗାପଟା ଟାଙ୍ଗିବା ନିମିତ୍ତ କାଠ ବା ବାଉଁଶ ଦଣ୍ଡ, ଯାହାର ଦୁଇମୁଣ୍ଡରେ ଦ‌ଉଡ଼ା ବା ରସି ଲଗାଯାଇ ଉଚ୍ଚସ୍ଥାନରୁ ହାତପାଆନ୍ତା ଉଚ୍ଚତାରେ ଓହଳା ଯାଇଥାଏ l

ଅଶିଣା
ଅଶିଣ ମାସରେ ପାଚୁଥିବା ଲଘୁ ଶାରଦ ଧାନ l ଏହା ଏକ ପ୍ରକାରର ମୋଟା ଧାନ l

ଅଶୁଚି
ଅଶୁଦ୍ଧତା, ଅଶୌଚ, ଜନ୍ମ ଜନିତ ଅଶୌଚ, ଜନାନା ସୂତକ ବା ଛୁତିକିଆ ଓ ମୃତ୍ୟୁଜନିତ ଅଶୌଚକୁ ଶବାଶୌଚ କୁହାଯାଏ l ଜନ୍ମ ଓ ମୃତ୍ୟୁ ଜନିତ ଅଶୌଚରେ ସାଧାରଣତଃ ବାରଦିନ ପର୍ଯ୍ୟନ୍ତ ଶୌଚ ବିଧି ପାଳନ କରାଯାଏ l ଛୁତିକିଆ ଅଶୁଚିର ଦ୍ଵାଦଶ ଦିବସ ବାରରାତ୍ର ଗାଧୁଆରେ ଏବଂ ମୃତିକିଆ ଅଶୁଚି ବାରପତ୍ରରେ ଶେଷ ହୋ‌ଇଥାଏ l


logo