Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଅଶୌଚ
୧. ଅଶୁଦ୍ଧି l ୨. ମଳମୂତ୍ରାଦି ତ୍ୟାଗ ପରର ଅଶୁଚିତା l ୩. ନାରୀ ରଜସ୍ଵଳା ହେବା ପରେ ପ୍ରଥମ ତିନିଦିନର ଅଶୁଦ୍ଧତା l ୪. ଜନ୍ମ, ମରଣର ଦଶ ଦିନ ପର୍ଯ୍ୟନ୍ତ ପାଳିତ ଅଶୁଦ୍ଧ ଆଚାର l
ଅଷ୍ଟପ୍ରହରୀ
ଆଠ ପ୍ରହର ବ୍ୟାପି ନାମଯଜ୍ଞ l ଦିନରାତି ଆଠ ପ୍ରହର ଯାଏ ହରିନାମ ସଂକୀର୍ତ୍ତନ କରାଯାଏ l ବୈଷ୍ଣବ ସଂପ୍ରଦାୟ ଏହାକୁ ବିଶେଷ ଗୁରୁତ୍ଵର ସହିତ ସଂପାଦନ କରନ୍ତି l ଗୋଟିଏ କୁଞ୍ଜ ପ୍ରସ୍ତୁତ କରି ଏହାର ମଧ୍ୟବର୍ତ୍ତୀ ସ୍ଥାନରେ ଅଭଡ଼ା କୁଡୁଆରେ ତୁଳସୀ ଗଛ ରଖାଯାଏ ଓ ଏହା ସହିତ ଶ୍ରୀ ଚୈତନ୍ୟ ପ୍ରଭୃତି ଷଡ ଗୋସ୍ଵାମୀଙ୍କ ଫଟୋ ରଖାଯାଏ l ଏଇ କୁଞ୍ଜକୁ ସଂକୀର୍ତ୍ତନ ମଣ୍ଡଳୀ ପ୍ରଦକ୍ଷିଣ କରନ୍ତି l ପ୍ରତିଟି ପ୍ରହରରେ ସ୍ଵତନ୍ତ୍ର ଭୋଗ କରାଯାଏ l ଶେଷରେ ମହୋତ୍ସବ ଓ ନଗରକୀର୍ତ୍ତନ କରାଯାଏ l
ଅଷ୍ଟମଙ୍ଗଳା
ବାହାଘର ବା ବ୍ରତଘରର ଅଷ୍ଟମ ଦିନ l ବାହା, ବ୍ରତବେଦି ଏହାପରେ ଭଙ୍ଗାଯାଏ l ବିବିଧ ମିଷ୍ଟାନ୍ନ ବଣ୍ଟନ କରାଯାଏ ଓ ଖିଆଯାଏ l
ଅଷ୍ଟମୀ
ପୂର୍ଣ୍ଣମୀ ବା ଅମାବାସ୍ୟା ର ପରବର୍ତ୍ତୀ ଅଷ୍ଟମୀ ତିଥି l ମହାଷ୍ଟମୀ, ପ୍ରଥମାଷ୍ଟମୀ, ଜନ୍ମାଷ୍ଟମୀ, ଅଶୋକାଷ୍ଟମୀ ଇତ୍ୟାଦି ତିଥିଗୁଡ଼ିକ ବିଶେଷ ଭାବରେ ପାଳନୀୟ ହୋଇଥାଏ l ଆଶ୍ଵିନ ମାସରେ ମହାଷ୍ଟମୀ ପଡ଼େ, ଏହିଦିନ ଦେବୀ ଦୁର୍ଗାଙ୍କର ସ୍ଵତନ୍ତ୍ର ପୂଜା ବିଧାନ କରାଯାଏ l ମାର୍ଗଶିର ମାସରେ ପ୍ରଥମାଷ୍ଟମୀ ପଡ଼େ, ଏହାକୁ ପୋଢ଼ୁଆଁ ଅଷ୍ଟମୀ କୁହାଯାଏ l ପରିବାରର ଜ୍ୟେଷ୍ଠ ସନ୍ତାନ ନବବସ୍ତ୍ର ପରିଧାନ କରନ୍ତି, ଏଣ୍ଡୁରି ପିଠା କରାଯାଏ l ଭାଦ୍ରବ ମାସରେ ଜନ୍ମାଷ୍ଟମୀ ତିଥିରେ କୃଷ୍ଣଙ୍କର ଜନ୍ମୋତ୍ସବ ପାଳନ କରାଯାଏ l ଚୈତ୍ର ମାସରେ ଅଶୋକାଷ୍ଟମୀ ପାଳିତ ହୁଏ ଏବଂ ଏହିଦିନ ଲିଙ୍ଗରାଜ ମହାପ୍ରଭୁଙ୍କର ରୁକୁଣାରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ l
ଅସରଳା ସୂତା
ଅଷାଡୁଆ ସୂତା l ବାହାଘର ସମୟରେ ଦୂବକେରା ବନ୍ଧା ହୋଇଥିବା ହଳଦିମଖା ସୂତା, ଯାହା ବର ଓ କନ୍ୟାଙ୍କ ହାତରେ କହୁଣୀ ତଳକୁ ବନ୍ଧାଯାଏ l
ଅହ୍ୟମଣ୍ଡଳ
ମଂଗଳ କାର୍ଯ୍ୟରେ ସଧବା ନାରୀମାନଙ୍କ ଦ୍ଵାରା ଦିଆଯାଇଥିବା ଚିତା ବା ମୁରୁଜର ମଣ୍ଡଳ l
ଅହ୍ୟଡେଙ୍ଗୁରା
ସଧବା ନାରୀ, ସ୍ଵାମୀ ଥାଇ ଆଗେ ମଲେ, ଶବ ସଂସ୍କାର ସମୟରେ ଖଇ କଉଡ଼ି ବିଂଚାଯାଏ ଓ ନାଗରା ବାଜେ, ଅହ୍ୟନାରୀର ଏଇ ଶବଯାତ୍ରାକୁ ଅହ୍ୟ ଡେଙ୍ଗୁରା ବା ଅହ୍ୟ ନାଗରା କୁହାଯାଏ l
ଅହ୍ୟା/ଅହିଆ
ଅସ୍ଥାୟୀ ଚୁଲି l ବିବାହ, ବ୍ରତାଦି ଉତ୍ସବ ନିମିତ୍ତ ନିମନ୍ତ୍ରିତ ଅତିଥିମାନଙ୍କୁ ପ୍ରଦାନ କରାଯାଉଥିବା ବ୍ୟାପକ ଭୋଜନ ସାମଗ୍ରୀ ପ୍ରସ୍ତୁତି ପାଇଁ ଅହ୍ୟା ପ୍ରସ୍ତୁତ କରାଯାଏ l ଏହା ସାଧାରଣ ଚୁଲିଠାରୁ ଆକାରରେ ବଡ଼ ଏବଂ ବଡ଼ ବଡ଼ ରନ୍ଧନ ପାତ୍ର ଏହା ଉପରେ ବସାଯାଏ l
ଅକ୍ଷତ
ଖୁଣ ଖରାପ ନଥିବା ଅରୁଆ ଚାଉଳ, ଆଶୀର୍ବାଦ ଚାଉଳ, ଯେ କୌଣସି ମାଙ୍ଗଳିକ କର୍ମରେ ପ୍ରଥମେ ଦୂବ ବରକୋଳି ପତ୍ର,ଫୁଲ, ଚନ୍ଦନ ସହିତ ଅକ୍ଷତ ବା ଅରୁଆଚାଉଳ ଆବଶ୍ୟକ ହୋଇଥାଏ l
ଅଁଟୁଆ
ଧାନ କ୍ଷେତରୁ ପାଣି ନିଗାଡ଼ିବା ପରେ ଖାଲୁଆ ଜାଗା ଗୁଡ଼ିକରେ ରହିଯାଉଥିବା ପାଣି l ଏହାକୁ ଚୁବଚୁବା ବୋଲି ମଧ୍ୟ କୁହାଯାଏ l
ଅଁଳାନବମୀ
କାର୍ତ୍ତିକ ମାସର ଶୁକ୍ଳ ପକ୍ଷ ନବମୀ, ଯାହା ଧାତ୍ରୀ ନବମୀ ଭାବରେ ପରିଚିତ l ଏଇଦିନ ଅଁଳା ଗଛ ମୂଳରେ ବିଷ୍ଣୁଙ୍କ ଉପାସନା କରାଯାଏ l ବିଧବା ଓ ହବିଷ୍ୟାଳୀମାନେ ଏଇଦିନଠାରୁ କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅଁଳା ବୋଳି ହୋଇ ସ୍ନାନ କରନ୍ତି l ପ୍ରଭୁ ଜଗନ୍ନାଥଙ୍କଠାରେ ଅଁଳାମାଳ ଲାଗି କରାଯାଏ l ଏଇଦିନ ହବିଷ୍ୟାଳୀମାନେ ଅଁଳାଗଛମୂଳେ ହବିଷ୍ୟାନ୍ନ ପ୍ରସ୍ତୁତ କରନ୍ତି ଓ ଦମୋଦର ରୂପୀ ବିଷ୍ଣୁଙ୍କୁ ସମର୍ପଣ କରିବା ପରେ ହବିଷ୍ୟାନ୍ନ ଭକ୍ଷଣ କରନ୍ତି l ପୁରୀର ସାକ୍ଷୀଗୋପାଳଠାରେ ଅଁଳାନବମୀ ଦିନ ରାଧାପାଦ ଦର୍ଶନ ଭଳି ମହୋତ୍ସବ ପାଳିତ ହୁଏ l
ଅଂଶା
ତାଳ, ନଡ଼ିଆ, ଗୁଆଦି ଗଛଗଣ୍ଡିରେ ଥିବା ସୂକ୍ଷ୍ମତନ୍ତୁ, ବିଭିନ୍ନ କାଠଗଛର ମଞ୍ଜି l
ଅଂଶେଇ
ପଚା, ସଢ଼ା ଓ ମଇଳା ଜିନିଷ ଓ ଗୋବର ଉପରେ ଜନ୍ମୁଥିବା ଛୋଟ ଛୋଟ ଧଳାପୋକ l
ଆଇଖାଡ଼ି
ଦହି ମନ୍ଥିବା ପାଇଁ ବ୍ୟବହୃତ ବାଡ଼ି l ଦହିଖୁଆ, ଦହିଗୋଳା l ତଳଭାଗରେ ଧାରଥିବା କାଠ ଚକି ଉପରେ ଗୋଟିଏ ଗୋଲାକାର କାଠଦଣ୍ଡ ଲାଗିଥାଏ l ଏହାକୁ ଘୂରାଇଲେ ଦହି ମନ୍ଥାଯାଏ l ସ୍ଥଳ ବିଶେଷରେ ମୁଠାଏ ନଡ଼ିଆ ଖଡ଼ିକାକୁ ସରୁକାଠିଦ୍ଵାରା ଚାରିଭାଗ କରାଯାଇଥାଏ l ଉପର ଅଂଶକୁ ସରୁ କତା ରସିରେ ଭଲ ଭାବରେ ବନ୍ଧାଯାଇଥାଏ l ଏହାକୁ ଘୂରାଇଲେ ଦହି ମନ୍ଥାଯାଏ l ଏହାକୁ ସ୍ଥଳ ବିଶେଷରେ ରହଡ଼ାଙ୍ଗ କୁହାଯାଏ l
ଆଇଗିଣିଆ
ଆମିଷ ପରି ସୁଆଦ ଥିବା ଖାଦ୍ୟ, ଆଇଁଷ ପରି ଗନ୍ଧ ହେଉଥିବା ପଦାର୍ଥ l
ଆଇଁଷ
ଆମିଷ l ମାଛ, ମାଂସ, ଅଣ୍ଡା ପ୍ରଭୃତି ସହିତ ବିରି, ପିଆଜ, ରସୁଣକୁ ମଧ୍ୟ ପୂଜାପାର୍ବଣ ସମୟରେ ନିଷିଦ୍ଧ କରାଯାଉଥିବା ଖାଦ୍ୟପଦାର୍ଥ l
ଆଇଁଷଧୁଆ
ମାଛ, ଶୁଖୁଆଦି ଧୋଇବା ପାଇଁ ବ୍ୟବହୃତ ବାଉଁଶ ପାତିଆ ତିଆରି ପାଚିଆ l
ଆଈ
ବୋଉଙ୍କର ବୋଉ l ମାଆଙ୍କ ମାଆ l
ଆଡ଼ି
ପାଞ୍ଚ ଛଅଟି ପାନ ‘ଗଛ’ର ଧାଡ଼ି ଅନ୍ତରରେ ରଖାଯାଇଥିବା ପତଳା ବାଉଁଶର ଛକି l ଏଇ ବାଉଁଶ ଗୁଡ଼ିକ ତଳେ ପୋତାଯାଇଥାଏ ଓ ଏହାର ଉପର ଅଂଶରେ ବରଜର ଛାତ କରାଯାଏ l
ଆଉଁରିଆ ଘାସ